The shastriya foundations of Odia Music. – Shri Basudeba Mishra
ସଙ୍ଗୀତ ଓ ତାହାର ଶାସ୍ତ୍ରୀୟତାର ବ୍ୟାଖ୍ୟା ।
ସ୍ଵ ହୃଦୟସ୍ଥ ଭାବ – ଯାହା ଆମର ଆବଶ୍ୟକ, ତାହାର ଜ୍ଞାନ କିମ୍ୱା ଯାହା ଆମ ମନରେ ଅଛି ସେହି ଭାବର କିମ୍ୱା କୌଣସି ପ୍ରୟୋଜନସିଦ୍ଧି ପାଇଁ, ଆମେ ଆମର ଆବଶ୍ୟକତାକୁ ପରହୃଦୟରେ ସନ୍ନିବେଶିତ କରିବାକୁ – ଇଚ୍ଛିତ ବ୍ୟକ୍ତିକୁ ଜଣାଇବାକୁ ଚାହୁଁଛୁ, ତାହାର ଶାବ୍ଦିକ (ଶବ୍ଦଦ୍ୱାରା) ଅଥବା ସାଙ୍କେତିକ (ସଙ୍କେତଦ୍ୱାରା) ପ୍ରକାଶ କରିବାର ପ୍ରକ୍ରିୟାକୁ ଭାଷା କୁହନ୍ତି । ଭର୍ତ୍ତୃହରିଙ୍କ ମତରେ “ଅନୁବିଦ୍ଧମିବ ଜ୍ଞାନଂ ସର୍ବ ଶବ୍ଦେନ ଭାସତେ” । ସମସ୍ତଜ୍ଞାନ ଶବ୍ଦଦ୍ଵାରା ହିଁ ବ୍ୟକ୍ତହୁଏ।
ଶ୍ଵେତାଶ୍ଵେତର ଉପନିଷଦରେ କଥିତଅଛି – “ପରାସ୍ୟ ଶକ୍ତିର୍ବିବିଧୈବ ଶ୍ରୁୟତେ ସ୍ଵାଭାବିକୀ ଜ୍ଞାନବଳକ୍ରିୟା ଚ“ । ବ୍ରହ୍ମଙ୍କର ଅନନ୍ତଶକ୍ତିମଧ୍ୟରୁ ଜ୍ଞାନ-ବଳ-କ୍ରିୟା ସାଧାରଣ ଏବଂ ସ୍ଵାଭାବିକ ଶକ୍ତି। ବ୍ରହ୍ମଙ୍କ ସୃଷ୍ଟିକାମନାରୁ ସ୍ପନ୍ଦ (pulsation – like big bang) ଜାତହେଲା । ତାହା ବିନ୍ଦୁ । ସେଥିରୁଜାତ କ୍ରିୟା ନାଦ । ଏହା ଶବ୍ଦବ୍ରହ୍ମ । ଜ୍ଞାନ (information or knowledge) ବୀଜ । ବଳ (force) ବିନ୍ଦୁ । କ୍ରିୟା (effect) ନାଦ । ନାଦ ପଞ୍ଚବିଧ – ସୂକ୍ଷ୍ମ, ଅତିସୂକ୍ଷ୍ମ, ବ୍ୟକ୍ତ, ଅବ୍ୟକ୍ତ, କୃତ୍ରିମ । ଏମାନଙ୍କମଧ୍ୟରୁ କେବଳ କୃତ୍ରିମନାଦ ହିଁ ମୁଖଦ୍ଵାରା ବ୍ୟକ୍ତ ହୁଏ । କିଛି କହିବାର ଇଚ୍ଛା ହେଲେ ମନ ମୂଳାଧାରକୁ ପ୍ରେରିତ କରେ । ସେଥିରୁ ଜାତ ଉଷ୍ମା ଊର୍ଦ୍ଧ୍ୱସ୍ଥ ବାୟୁକୁ ଚାଳିତ କରେ । ନାରଦଙ୍କମତରେ – “ଊର୍ଧ୍ଵଗୋ ହୃଦୟସ୍ଥାନାନ୍ମାରୁତଃ ପ୍ରାଣସଂଜ୍ଞକଃ । ବ୍ରହ୍ମରନ୍ଧ୍ରାତ୍ ପତନ୍ ବକ୍ତ୍ରାନ୍ନାଦ ଆବିର୍ଭବତ୍ୟସୌ ।“ ହୃଦୟସ୍ଥାନରୁ ପ୍ରାଣବାୟୁ ଊର୍ଧ୍ଵମୁଖୀ ହୋଇ ବ୍ରହ୍ମରନ୍ଧ୍ରକୁ ସ୍ପର୍ଶକରି ମୁଖରୁ ନାଦ ରୂପରେ ଆବିର୍ଭୂତ ହୁଏ । ଏହାର ବର୍ଗୀକରଣକରି ତାହାର ବିତାନ (ବିସ୍ତାର – ପ୍ରସ୍ତାର) କରିବାକୁ ସଙ୍ଗୀତ କୁହାଯାଏ ।
ଶବ୍ଦମୟଭାଷାର ଶବ୍ଦାତ୍ମକ ପଦ (ବାକ୍ୟ ଯାହା କୁହାଯାଏ ଏବଂ ଶୁଣାଯାଏ) ଏବଂ ବୋଧାତ୍ମକ ଅର୍ଥ (ଯାହା ବୁଝାଯାଏ) – ଏହି ଦୁଇଟି ଅବିନାଭାବୀ (ସଦାଯୁକ୍ତ) ବିଭାଗ ଅଛି । ଅର୍ଥ ପ୍ରଧାନହୋଇ ପଦ ଗୌଣହେଲେ ତାହାକୁ କଥିତଭାଷା କୁହନ୍ତି । ପଦ ପ୍ରଧାନହୋଇ ଅର୍ଥ ଗୌଣହେଲେ ତାହାକୁ ସାହିତ୍ୟ କୁହନ୍ତି । ଶୁଷ୍କଂ କାଷ୍ଠଂ ପତତ୍ୟଗ୍ରେ ଭାଷା । ନୀରସତରୁବର ପୁରତୋ ଭାତି ସାହିତ୍ୟ । ଶାସ୍ତ୍ରଶବ୍ଦ ଶାସ୍ ଧାତୁରୁଉତ୍ପନ୍ନ ଯାହାରଅର୍ଥ ଅନୁଶିଷ୍ଟ – ଶିଷ୍ଟ (ଜ୍ଞାନୀ) ମାନଙ୍କର ଉପଦେଶ ଅନୁଯାୟୀ – ଆବଶ୍ୟକବୋଧ ଉତ୍ପନ୍ନ କରାଇବା । “ସମ୍ୟକ୍ ଗୀୟତେ ଇତି” ଅର୍ଥରେ ଛନ୍ଦ, ସ୍ଵର, ରାଗ, ତାଳ, ଲୟ, ବାଦ୍ୟଯୁକ୍ତ ଗାନ ସଙ୍ଗୀତ ପଦବାଚ୍ୟ । ନାରଦଙ୍କମତରେ ସ୍ପଷ୍ଟରୂପରେ ବ୍ୟକ୍ତ, ଶୁଦ୍ଧ ଉଚ୍ଚାରଣଯୁକ୍ତ, ଶାସ୍ତ୍ରୀୟ ବର୍ଗୀକରଣ ସମ୍ମତ, ଅଷ୍ଟଦୋଷ ବିବର୍ଜିତ, ସୁକଣ୍ଠଧ୍ଵନୀରେ ଯେଉଁ ଗାନ କରାଯାଏ, ତାହାକୁ ଶାସ୍ତ୍ରୀୟସଙ୍ଗୀତ କୁହନ୍ତି (ବ୍ୟକ୍ତଂ ଶୁଦ୍ଧଂ ଯଥାଶାସ୍ତ୍ରଂ ଦୋଷାଷ୍ଟକ ବିବର୍ଜିତମ୍ । ସୁକଣ୍ଠଧ୍ଵନିନା ନିତ୍ୟଂ ଯଃ ଗାୟତି ସ ଗାୟନମ୍ – ପଞ୍ଚମସାର ସଂହିତା)।
ଭରତଙ୍କମତରେ ତ୍ରେତାଯୁଗରଆରମ୍ଭରେ ସମାଜର ଲୋକମାନଙ୍କର ଦୁଃଖଲାଘବପାଇଁ ଦୃଶ୍ୟ-ଶ୍ରାବ୍ୟ ସମନ୍ଵିତ କ୍ରୀଡନୀୟକରୂପେ ସଙ୍ଗୀତର ସୃଷ୍ଟି ହୋଇଥିଲା । ତେଣୁ ଶାସ୍ତ୍ରୀୟସଙ୍ଗୀତର ଶ୍ରୋତାମାନଙ୍କୁ ସାମାଜିକ କୁହାଯାଏ । ରାମାୟଣରେ ବର୍ଣ୍ଣିତଅଛି – “ତୌ ତୁ ଗାନ୍ଧାରତତ୍ତ୍ଵଜ୍ଞୌ ସ୍ଥାନମୂର୍ଛନକୋବିଦୌ । ଭ୍ରାତରୌ ସ୍ଵରସମ୍ପନ୍ନୌ ଗନ୍ଧର୍ବାବିବ ରୂପିଣୌ । ରୂପଲକ୍ଷଣସମ୍ପନ୍ନୌ ମଧୁରସ୍ଵରଭାଷିଣୌ” । ରାମାୟଣରେ କୁଶ ଏବଂ ଲବଙ୍କଦ୍ଵାରା ଗାନରବିଶେଷତା ଏବଂ ରୂପରଲକ୍ଷଣ ଅନୁଯାୟୀ ଗାୟନକରିଥିବାର ବର୍ଣ୍ଣନଅଛି । ତେଣୁ ସମାଜର ଦୁଃଖଲାଘବ ପାଇଁ ତ୍ରେତାଯୁଗରେ ସଙ୍ଗୀତର ଆବିର୍ଭାବ ହୋଇଥିଲା – ଏହା ପ୍ରମାଣିତ ହୁଏ ।
ଖାଦ୍ୟ ଏବଂ ଔଷଧ ଉଭୟ ମୁଖଦ୍ଵାରା ଶରୀର ମଧ୍ୟକୁ ଯାଏ । ଖାଦ୍ୟ ସମସ୍ତଶରୀରକୁ ପୋଷଣପ୍ରଦାନକରେ, କିନ୍ତୁ ଔଷଧ କେବଳ ରୋଗରନିବର୍ତ୍ତକରୂପେ (ରୋଗ ଦୂର କରିବାପାଇଁ) ପ୍ରତିନିୟତକାର୍ଯ୍ୟକାରୀ ହୋଇ ଶରୀରର ଉପକାରକ ହୁଏ । ସେହିପରି ଶବ୍ଦ ସମସ୍ତ ଭାବପ୍ରକାଶର ମାଧ୍ୟମ ହେଲେମଧ୍ୟ, ସୁଖଦୁଃଖାତ୍ମକ ସଂସାରରେ ମନକୁ ଦୁଃଖଠାରୁ ଦୁରେଇନେବାପାଇଁ ଦୃଶ୍ୟ-ଶ୍ରାବ୍ୟ ରୂପ (ନୃତ୍ୟ ଗାନ ରୂପରେ) ଶବ୍ଦ–ଅର୍ଥସମନ୍ଵିତ, ଶିଷ୍ଟବଚନଅନୁସୃତ (ପୂର୍ବ ଋଷିମାନଙ୍କ ଦ୍ୱାରା କଥିତ) ଛନ୍ଦୋବନ୍ଧରୂପେ ଦୁଃଖରନିବର୍ତ୍ତକ ଔଷଧରୁପେପ୍ରସ୍ତୁତ ଯେଉଁ କୃତି, ତାହାକୁ ଶାସ୍ତ୍ରୀୟସଙ୍ଗୀତ କୁହାଯାଏ ।

ଗୀତଶବ୍ଦ “ଗୈ ଶବ୍ଦେ” ଧାତୁରୁଆସିଛି, ଯାହାରଅର୍ଥ “ନାଦର ରକ୍ଷଣ ଏବଂ ସଞ୍ଚୟ” । ତାଳ ଏବଂ ବାଦ୍ୟଅନୁଯାୟୀ, ନୃତ୍ୟର ଅନୁଗତଭାବେ ଗାୟକଦ୍ଵାରା ଗାନକରାଯାଉଥିବା ଗୀତକୁ ସଙ୍ଗୀତକୁହନ୍ତି (ତାଳବାଦ୍ୟାନୁଗଂ ଗୀତଂ ନଟୀଭିର୍ଯତ୍ରଗୀୟତେ । ନୃତ୍ୟସ୍ୟାନୁଗତଂ ରଙ୍ଗେ ତତ୍ ସଙ୍ଗୀତକମୁଚ୍ୟତେ)। କବିକଳ୍ପଦ୍ରୁମ ମତରେ –
“ଅତିରଞକ ହୁଏ ଯହିଁ ସ୍ଵର । ଗୀତ ବୋଲି ତାକୁ କରି ବେଭାର” ।
ଗ୍ରାମ୍ୟସଙ୍ଗୀତ ଅନିବଦ୍ଧ – ଏହି ନିୟମରେ ବନ୍ଧା ନୁହେଁ – ଆଳାପାଦି ନିୟମ ନାହିଁ (ଆଳାପାଦି ବିହୀନସ୍ତୁ – ବୃହଦ୍ଦେଶୀ)। ତାହା ସମସ୍ତଙ୍କର ସ୍ଵତଃସ୍ଫୁତଃ ଆନନ୍ଦର ଅଭିବ୍ୟକ୍ତିରୂପ ପ୍ରାକୃତିକଗାନ (ନିଜେଚ୍ଛୟା ଗୀୟତେ ସାନୁରାଗେଣ ସ୍ଵଦେଶେ – ବୃହଦ୍ଦେଶୀ)।
ଛନ୍ଦ ସାଧାରଣତଃ ଦ୍ଵିବିଧ। ଛନ୍ଦୋମଞ୍ଜରୀ ମତରେ –
“ପଦ୍ୟଂ ଚତୁଷ୍ପଦୀଂ ତଚ୍ଚ ବୃତ୍ତଂ ଜାତିରିତି ଦ୍ଵିଧା।
ବୃତ୍ତମକ୍ଷରସଂଖ୍ୟାତଂ ଜାତିର୍ମାତ୍ରା କୃତା ଭବେତ୍ ॥”
ଚାରି ପାଦରେ ଗୋଟିଏ ପଦ୍ୟ ହୁଏ। ଅକ୍ଷର ସଂଖ୍ୟା ପରିମାଣରେ ଏହାକୁ ବୃତ୍ତ କୁହନ୍ତି । ମାତ୍ରା ଅନୁସାରେ ଏହାକୁ ଜାତି କୁହନ୍ତି । ଭରତଙ୍କ ମତରେ ବିଶ୍ଵ ଛନ୍ଦମୟ – “ଛନ୍ଦୋହୀନୋ ନ ଶବ୍ଦୋଽସ୍ତି ନ ଚ୍ଛନ୍ଦଃ ଶବ୍ଦବର୍ଜିତମ୍” (ନାଟ୍ୟଶାସ୍ତ୍ର ୧୪/୪୭) – ଛନ୍ଦହୀନ ଶବ୍ଦନାହିଁ କିମ୍ଵା ଶବ୍ଦହୀନ ଛନ୍ଦନାହିଁ । ପୁନଶ୍ଚ “ବେଦାଧ୍ୟାଽତ୍ମାପପନ୍ନଂ ତୁ ଶବ୍ଦଚ୍ଛନ୍ଦସମନ୍ଵିତମ୍ (ନାଟ୍ୟଶାସ୍ତ୍ର ୨୫/୧୨୧)” – ବେଦ ଏବଂ ଅଧ୍ୟାତ୍ମରୁ ଉପପନ୍ନ (ସୃଷ୍ଟ) ନାଟ୍ୟ, ଶବ୍ଦ ଏବଂ ଛନ୍ଦ ସମନ୍ଵିତ । ଶବ୍ଦସମନ୍ଵୟର ଅର୍ଥ ବ୍ୟାକରଣଦ୍ଵାରା ଶବ୍ଦ ବୋଧଗମ୍ୟ ହେଲେ ତାହାର ସମନ୍ଵୟ କରାଯାଇପାରିବ । ମାତ୍ର ଛନ୍ଦସମନ୍ଵୟ କେବଳ ସ୍ଵସମ୍ଵେଦନ (ନିଜ ଅନୁଭବରୁ ଜାତ ବୋଧ) ଦ୍ଵାରା ସମ୍ଭବ । ଛନ୍ଦର ପରିଭାଷା ହେଉଛି – “ଛନ୍ଦୋଽଭିବାୟ ଆଶୟଃ” – ଅର୍ଥାତ ଅନନ୍ତଶବ୍ଦବ୍ରହ୍ମାଣ୍ଡମଧ୍ୟରୁ ଭିନ୍ନ ଏବଂ ବ୍ୟକ୍ତ ଏକ ନିର୍ଦ୍ଦିଷ୍ଟ ଅଭିପ୍ରାୟର ବୋଧ – ବିଶିଷ୍ଟ ସ୍ଵସମ୍ଵେଦନ (ବୋଧ) । ଯେପରି ପ୍ରକୃଷ୍ଟଗାନରୁ ତାହାର ରାଗ ଏବଂ ଭାଷାଆଦିର ଜ୍ଞାନହୁଏ, ସେହିପରି, ବୃତ୍ତମଧ୍ୟରେ ପଦ-ବାକ୍ୟର ଶ୍ରବ୍ୟତା ମଧ୍ୟ ତାହାର ବିଜ୍ଞାତାମାନଙ୍କପାଇଁ ସେମାନଙ୍କର ସ୍ଵସମ୍ଵିତ୍-ରେ ଗୃହୀତ ହୁଏ ।
କୋହଳଙ୍କ ମତରେ “ଲୟାନ୍ତର ପ୍ରୟୋଗେଣ ରାଗୈଶ୍ଚାପି ବିବେଚିତମ୍ । ନାନାରସଂ ମୁନିର୍ବାହ୍ୟକଥଂ କାବ୍ୟମିତି ସ୍ମୃତମ୍” । ଭିନ୍ନ ଭିନ୍ନ ଲୟର ପ୍ରୟୋଗରେ, ଯେଉଁଥିରେ ରସର ପ୍ରାଦୁର୍ଭାବଥାଏ, କଥା (ନାୟକର ଇତିବୃତ୍ତ ଯଥା ଲାବଣ୍ୟବତୀ-ଚନ୍ଦ୍ରଭାନୁ)ର ପୂର୍ଣ୍ଣ ନିର୍ବାହ ହୋଇଥାଏ ଏବଂ ରାଗଦ୍ଵାରା ଯାହାର ବିବେଚନ କରାଯାଏ, ତାହାକୁ ଗୀତିକାବ୍ୟ କୁହନ୍ତି । ନାଟ୍ୟଶବ୍ଦର ପ୍ରତିପାଦ୍ୟଅର୍ଥ ମଧ୍ୟରେ ଅଭିନୟମଧ୍ୟ ଥିବାରୁ ଏହା ଦୃଶ୍ୟକାବ୍ୟ । ରାଗାତ୍ମକ ଶବ୍ଦର ପ୍ରଧାନତା ହେଚୁ ସଙ୍ଗୀତରେ ଅର୍ଥର ପ୍ରୟୋଜନ ଗୌଣ – କେବଳ ନିରର୍ଥକତା ଦୂରକରିବା ଧ୍ୟେୟ । ତେଣୁ ସାଧୁତ୍ତ୍ଵାଖ୍ୟାନ ବିବକ୍ଷିତ ସାର୍ଥକଶବ୍ଦ ଛନ୍ଦୋବନ୍ଧ ହେଲେ ଗୀତିକାବ୍ୟ ପଦବାଚ୍ୟ ହୁଏ । ଶବ୍ଦ ବା ଅର୍ଥର ପ୍ରାଧାନ୍ୟ ଅନୁଯାୟୀ କାବ୍ୟଗୁଣର ଲକ୍ଷଣ ପରିବର୍ତ୍ତନ ହୁଏ । ଉଦାହରଣ ସ୍ଵରୂପ, କାବ୍ୟର ୧୦ ଗୁଣ ହେଉଛି – ଓଜଃ, ପ୍ରସାଦ, ଶ୍ଳେଷ, ସମତା, ସମାଧି, ମାଧୁର୍ଯ୍ୟ, ସୌକୁମାର୍ଯ୍ୟ, ଉଦାରତା, ଅର୍ଥବ୍ୟକ୍ତି ଏବଂ କାନ୍ତି । ଶବ୍ଦକ୍ଷେତ୍ରରେ ଏହାର ଅର୍ଥ ଯଥାକ୍ରମେ – ପଦରଚନା, ଶୈଥିଲ୍ୟ, ମସୃଣତ୍ଵ, ମାର୍ଗାଭେଦ, ଆରୋହାବରୋହକ୍ରମ, ପୃଥକ୍–ପଦତ୍ଵ, ଅଜରଠତ୍ଵ, ପଦବିଚ୍ଛେଦତା, ହଠାତ୍ ଅର୍ଥାବବୋଧ, ଏବଂ ଔଜଲ୍ୟ । କିନ୍ତୁ ଅର୍ଥକ୍ଷେତ୍ରରେ ଏହାର ଅର୍ଥ ଯଥାକ୍ରମେ – ଅର୍ଥପ୍ରୌଢୀ, ଅର୍ଥବୈମଲ୍ୟ, ଅର୍ଥବାହୁଲ୍ୟ, ପ୍ରକ୍ରମଭେଦ, ଅର୍ଥଦୃଷ୍ଟି, ଉକ୍ତିବୈଚିତ୍ର୍ୟ, ଅପାରୁଷ୍ୟ, ଅଗ୍ରାମ୍ୟତ୍ଵ, ବସ୍ତୁସ୍ଵଭାବ ସ୍ଫୁଟତ୍ଵ, ଏବଂ ଦୀପ୍ତରସତ୍ଵ । ସାହିତ୍ୟ ରସ, ଗୁଣ, ରୀତି, ଅଳଙ୍କାର ଯୁକ୍ତ, ବ୍ୟଞ୍ଜକ ସମ୍ବନ୍ଧରେ ରସବନ୍ତ ହୋଇ ଏବଂ ଆକାଙ୍-କ୍ଷା, ଯୋଗ୍ୟତା, ଆସତ୍ତି ଯୁକ୍ତ ହୋଇ କାବ୍ୟ ପଦବାଚ୍ୟ ହୁଏ ।
କବିକଳ୍ପଦ୍ରୁମମତରେ –
ଆକାଙ୍-କ୍ଷା ଯୋଗ୍ୟତା ଆସତ୍ତିରେ ଯୁକ୍ତ ହୋଇ ।
ଯେ ପଦସମୂହ ତାକୁ କାବ୍ୟ ବୋଲି କହି ଯେ ॥
ଯେ’ ପଦ ଯେ’ ପଦ ତୁଲ୍ୟେ ଅନ୍ଵୟକୁ ପାଇ ।
ତା’ର ତା’ ତୁଲ୍ୟେ ପ୍ରୟୋଗ ଆକାଙ୍-କ୍ଷା ବୋଲାଇ ଯେ ॥
ଏକ ପଦ ଅର୍ଥେ ଅନ୍ୟ ପଦାର୍ଥର ପୁଣ ।
ଅବାଧିତ ସମ୍ବନ୍ଧ ଯୋଗ୍ୟତା ବୋଲି ଜାଣ ଯେ ॥
ଯେ’ ପଦାର୍ଥେ ଅନ୍ଵୟ ଯେ’ ପଦାର୍ଥର ହୋଇ ।
ତା’ ସମୀପେ ତା’ର ସ୍ଥିତି ଆସତ୍ତି ବୋଲାଇ ଯେ ॥
ଅଭିଧା, ଲକ୍ଷଣା, ବ୍ୟଞନା ଏ ତିନି ବୃତ୍ତି ।
ଶବ୍ଦର ଅର୍ଥବୋଧନେ ସହାୟ ହୁଅନ୍ତି ଯେ ॥
ଏ ଶବ୍ଦରୁ ଏ ଅର୍ଥର ବୋଧ ହେବାପାଇଁ ।
ଯେ ଅନାଦି ବୃଦ୍ଧ ଇଚ୍ଛା ଅଭିଧା ତା କହି ଯେ ॥
ମୁଖ୍ୟ ଅର୍ଥ ସମ୍ବନ୍ଧୁ ଅମୁଖ୍ୟ ଅର୍ଥେ ଯେହୁ ।
ଶାସ୍ତ୍ରବିଦ କହନ୍ତି ଲକ୍ଷଣାବୃତ୍ତି ସେହୁ ଯେ ॥
ଅଭିଧା ଲକ୍ଷଣାବୃତ୍ତି ସମ୍ବନ୍ଧର ବଶେ ।
ତଥାପି ନିଶ୍ଚୟ ଯେ ବ୍ୟଞନାଖ୍ୟ ବୃତ୍ତି ସେ ଯେ ॥
ତାତ୍ପର୍ଯ୍ୟ ସହାୟେ ଶବ୍ଦ ଅର୍ଥକୁ ବୁଝାଇ ।
ଯେଣୁ ତେଣୁ ତାତ୍ପର୍ଯ୍ୟାର୍ଥ କାରଣ ବୋଲାଇ ଯେ ॥
ଏ ଶବ୍ଦ ଏ ଅର୍ଥକୁ ବୁଝାଉ ବୋଲି ଯେବେ ।
ସେ ଶବଦ ଉଚ୍ଚାରଣ ତାତ୍ପର୍ଯ୍ୟ ସେ ତେବେ ଯେ ॥
ସଙ୍ଗୀତ ରତ୍ନାକର ମତରେ “ନୃତ୍ୟଂ ବାଦ୍ୟାନୁଗଂ ପ୍ରୋକ୍ତଂ ବାଦ୍ୟଂ ଗୀତାନୁବର୍ତ୍ତି ଚ ।” ଶରୀରର ବିଭିନ୍ନ ଅଙ୍ଗର ଅଭିନୟ ଦ୍ୱାରା ମନର ଭାବପ୍ରକାଶକୁ ନୃତ୍ୟ କୁହାଯାଏ । ନୃତ୍ୟ ବାଦ୍ୟକୁ ଅନୁସରଣ କରେ । ବାଦ୍ୟର ତାଳେ ତାଳେ ନୃତ୍ୟର ପଦଛନ୍ଦ ପ୍ରବର୍ତ୍ତିତ ହୁଏ । ବାଦ୍ୟ ଗୀତକୁ ଅନୁସରଣ କରେ । ଗାୟନ ସଙ୍ଗୀତର ଶବ୍ଦକ୍ରିୟାତ୍ମକ ବା ପ୍ରୟୋଗାତ୍ମକ ପ୍ରକାଶ । ତିନି ଗ୍ରାମର ବାଦି, ସଂବାଦି ଏବଂ ଅନୁବାଦି ସ୍ଵରଯୋଗରୁ ଆର୍ଚ୍ଚିକ-ଗାଥିକ (ଗାଡିକ)-ସାମିକ-ସ୍ଵରାନ୍ତର-ଔଡବ-ଷାଡବ-ସମ୍ପୂର୍ଣ୍ଣ ନାମକ ଗୀତର ଜାତିବିଶେଷକୁ ଅଂଶ (dominant note)-ନ୍ୟାସ (note of the rest)-ଷାଡବ (combination of six notes)-ଔଡବ (combination of five notes)-ଅଳ୍ପତ୍ଵ (weak notes)-ବହୁତ୍ଵ (notes used copiously)-ଗ୍ରହ (initial notes)-ଅପନ୍ୟାସ (subsidiary notes of the rest) ଭେଦରେ ପ୍ରୟୋଗ କରାଯାଏ । ପ୍ରବେଶ (entering), ଆକ୍ଷେପ (casual), ନିଷ୍କ୍ରାମ (going out), ପ୍ରାସାଦିକ (pleasing) ଏବଂ ଆନ୍ତର (intermediate) ନାମକ ଧ୍ରୁବା ମାନଙ୍କର ଯୋଗହେତୁ ପଞ୍ଚ ପ୍ରକାରର ଗାନ ହୁଏ (ପ୍ରବେଶାକ୍ଷେପ ନିଷ୍କ୍ରାମ ପ୍ରାସାଦିକମଥାନ୍ତରମ୍ । ଗାନଂ ପଞ୍ଚବିଧଂ ବିଦ୍ୟାତ୍ ଧ୍ରୁବାଯୋଗ ସମନ୍ଵିତମ୍ – ନାଟ୍ୟଶାସ୍ତ୍ର – ୬–୨୯/୩୦)। ନାନା ରସବ୍ୟଞକ ଅର୍ଥରେ ଯୁକ୍ତ ଯେଉଁ ଗାନ ପୁରୁଷପାତ୍ର ମାନଙ୍କର ପ୍ରବେଶ ସମୟରେ ଗାନ କରାଯାଏ, ତାକୁ ପ୍ରାବେଶିକୀ ଧ୍ରୁବା କୁହନ୍ତି । ରସାନ୍ତର ଅର୍ଥାତ ପ୍ରକୃତରସଠାରୁ ଭିନ୍ନରସର ଉପକ୍ଷେପପାଇଁ କରାଯାଉଥିବା ଗାନ ଆକ୍ଷେପ । ପାତ୍ରର ନିଷ୍କ୍ରମଣ ଅବସରରେ କରା ଯାଉଥିବା ଗାନ ନିଷ୍କ୍ରାମ । ପ୍ରବିଷ୍ଟପାତ୍ରର ଅନ୍ତର୍ଗତ ଚିତ୍ତବୃତ୍ତିକୁ ସାମାଜିକ (ଶ୍ରୋତା) ମାନଙ୍କର ପ୍ରସନ୍ନତାପ୍ରକଟ କରିବାପାଇଁ କରାଯାଉଥିବା ଗାନକୁ ପ୍ରସାଦ କୁହାଯାଏ । ଗତି ବା ପରିକ୍ରମଣ ଆଦିର ନିରୂପଣ ଅବସରରେ ଯେଉଁ ଗାନ କରାଯାଏ, ତାହା ଆନ୍ତର ।
“ଧାତୁମାତୁସମାଯୁକ୍ତଂ ଗୀତମିତ୍ୟୁଚ୍ୟତେ ବୁଧୈଃ ।
ତତ୍ର ନାଦାତ୍ମକୋ ଧାତୁର୍ମାତୁରକ୍ଷଣସଞ୍ଚୟଃ” ।
ନାଦାତ୍ମକ “ଧାତୁ” ଏବଂ ଶବ୍ଦାତ୍ମକ “ମାତୁ”ର ସଂଯୋଗରେ ଗୀତର ସୃଜନହୁଏ । ପ୍ରବନ୍ଧର ଅବୟବବିଶେଷକୁ ଧାତୁ ବୋଲି କୁହାଯାଏ । ମାତୁ ତାଳ ବିଶେଷ । କବିକଳ୍ପଦ୍ରୁମମତରେ –
ମାତୁ ଧାତୁ ଅଙ୍ଗ ଆଳାପ ଯହିଁ ।
ଶୁଦ୍ଧ ଗୀତ ବୋଲି ବୋଲନ୍ତି ତାହି ॥
ତାଳ ବିଶେଷକୁ ବୋଲନ୍ତି ମାତୁ ।
ପ୍ରବନ୍ଧ ମାନଙ୍କ ଅଙ୍ଗ ହିଁ ଧାତୁ ॥
ଉଦ୍-ଗ୍ରାହ ଧ୍ରୁବ ଆଭୋଗରେ ମିଳି ।
ତିନି ପ୍ରକାର ସେ ତାହାର ଚାଲି ॥
ଗୀତ ଏବଂ ବାଦ୍ୟର ଗୁଣ ଏବଂ ପ୍ରଧାନ ଭାବର ବ୍ୟବହାରକୁ ବୃତ୍ତି କୁହନ୍ତି । ଗୀତ ପ୍ରଧାନ ହେଲେ ବାଦ୍ୟ ଗୁଣ ହୁଏ । ବାଦ୍ୟ ପ୍ରଧାନ ହେଲେ ଗୀତ ଗୁଣ ହୁଏ । କେତେବେଳେ ଉଭୟ ପ୍ରଧାନ ହୁଅନ୍ତି । ଏହି ବୃତ୍ତିର ଚିତ୍ର, ଦକ୍ଷିଣ ଆଦି ଭେଦ ଅଛି । ଯାହାଦ୍ଵାରା ସ୍ଵରକୁ ଉହ କରାଯାଏ, ତାହାକୁ ଉପୋହନ କୁହନ୍ତି । କାରଣ ସ୍ଵରର ଉହନ (ଅଧ୍ୟାହାର – ପୂର୍ବରୁ ଅପ୍ରାପ୍ତର ଉତ୍–କ୍ଷେପଣ – ଅସ୍ପଷ୍ଟ ଅର୍ଥର ଶବ୍ଦାନ୍ତର – ଅନ୍ୟଶବ୍ଦଦ୍ୱାରା – ସ୍ପଷ୍ଟୀକରଣ) କରିବାଦ୍ଵାରା ହିଁ ଗୀତର ପ୍ରବର୍ତ୍ତନ – ଆରମ୍ଭ କରାଯାଏ । ନିର୍ଗୀତ ଏବଂ ବହିର୍ଗୀତ ଦୁଇଟି ସମାନାର୍ଥକ । ସୋପୋହନ ଅର୍ଥାତ ସ୍ଵରର ଉହାପୋହସହ ସମୃଦ୍ଧଗାନର ଚିତ୍ର, ଦକ୍ଷିଣ, ବୃତ୍ତିରୂପ ବ୍ୟବହାରଦ୍ଵାରା ଧ୍ରୁବା ଆରମ୍ଭ କଲେ ତାହା ମନୋହାରୀ ହୁଏ ।
ଗୀତର ନିବଦ୍ଧ ଏବଂ ଅନିବଦ୍ଧ, ଏହି ଦୁଇଟି ବିଭାଗ ଅଛି (ନିବଦ୍ଧଂ ଅନିବଦ୍ଧଂ ଚ ଗୀତଂ ଦ୍ଵିବିଧମୁଚ୍ୟତେ)। ନିବଦ୍ଧ ଗୀତ ତାଳଯୁକ୍ତ ହୋଇ, ଛନ୍ଦ, ଗମକ, ଧାତୁ, ବର୍ଣ୍ଣ ଆଦି ନିୟମଯୁକ୍ତ ହୋଇ ମନୋରଞ୍ଜକ ହୁଏ (ନିବଦ୍ଧଞ୍ଚ ଭବେଦ୍ଗୀତଂ ତାଳମାନସରଞ୍ଜିତମ୍ । ଛନ୍ଦୋ ଗମକଧାତୁଜ୍ଞୈର୍ବର୍ଣ୍ଣାଦିନିୟମୈ କୃତମ୍)। ଅନିବଦ୍ଧ ଗୀତ ବର୍ଣ୍ଣ ଆଦି ନିୟମବିନା ଗାନ କରାହୁଏ (ଅନିବଦ୍ଧଂ ଭବେଦ୍ଗୀତଂ ବର୍ଣ୍ଣାଦିନିୟମଂ ବିନା)। କବିକଳ୍ପଦ୍ରୁମମତରେ –
ତାଳ, ମାନ, ଗଦ୍ୟ ପଦ୍ୟ ସହିତ । ନିବଦ୍ଧ ଗୀତର ଗତି ଏମନ୍ତ ॥
ଶୁଦ୍ଧ, ଛାୟାଲଗ, କ୍ଷୁଦ୍ର ମିଶାଇ । ନିବଦ୍ଧ ଗୀତ ତିନିରୂପେ ହୋଇ ॥
ତାଳ, ମାନ ନାହିଁ ଯାହାର ଜାଣ । ଅନିବଦ୍ଧ ଗୀତ ତାହାକୁ ଭଣ ॥
କଥିତ ଅଛି “ଗୀତିଷୁ ସାମାଖ୍ୟା” । ସାମବେଦ ଗୀତମୟ । ସାମବେଦର ଉପବେଦ ଗାନ୍ଧର୍ବବେଦରେ ୭ ସ୍ଵର, ୩ ଗ୍ରାମ, ୨୧ ମୂର୍ଛନା ଏବଂ ୪୯ ତାନର ବିଶେଷ ଆଲୋଚନା କରାଯାଇଛି । ଲୋକଧର୍ମୀ ଏବଂ ନାଟ୍ୟଧର୍ମୀ ଭେଦରେ ସଙ୍ଗୀତରେ ଦୁଇଟି ଭେଦ ଆଛି । ଲୋକଧର୍ମୀ ସମାଜରେ ଆଚରଣଯୋଗ୍ୟ । ନାଟ୍ୟଧର୍ମୀ ସାଙ୍କେତିକ ରୂପରେ ସାମାଜିକ ମାନଙ୍କର କଳ୍ପନାବିଳାସ ଯୋଗ୍ୟ । ସରୂପବ୍ୟଞ୍ଜନନ୍ୟାସ ହେତୁ ବିକାଶ, ବିକ୍ଷେପ ଏବଂ ସଙ୍କୋଚ ଭାବରେ ସଙ୍ଗୀତର ବିସ୍ତାର ହେଉଥିବାରୁ ଏମାନଙ୍କୁ ବୃତ୍ତି କୁହାଯାଏ । ଭରତଙ୍କ ମତରେ “ପୃଥୀବ୍ୟାଂ ନାନାଦେଶବେଷଭାଷାଚାରବାର୍ତ୍ତାଃ ପ୍ରଖ୍ୟାପୟତୀତି ବୃତ୍ତିଃ (ତ୍ରୟୋଦଶାଧ୍ୟାୟ)” । ପୃଥିବୀରେ ନାନା ଦେଶ, ବେଷ, ଭାଷା, ଆଚାର, ବାର୍ତ୍ତା ଆଛି । ଯାହାଦ୍ଵାରା ଏମାନଙ୍କର ପ୍ରସିଦ୍ଧି ନିର୍ଦ୍ଦେଶ କରାଯାଏ, ତାହାକୁ ବୃତ୍ତି (ବର୍ତ୍ତତେ ଅସ୍ମିନ୍) କୁହନ୍ତି । ଏହି ଅସଂଖ୍ୟ ବୃତ୍ତିକୁ ବର୍ଗୀକରଣ କରି ଭରତଙ୍କ ମତରେ ଭାରତୀ, ଶାଶ୍ଵତୀ, କୈଶିକୀ ଏବଂ ଆରଭଟୀ ନାମକ ୪ ଗୋଟି ବୃତ୍ତି କୁହାଯାଇଛି । ଏମାନେ ଯଥାକ୍ରମେ ଋକ୍ ବେଦାଦିରୁ ସୃଷ୍ଟି ହୋଇଛନ୍ତି ।
ସାହିତ୍ୟଦର୍ପଣ ମତରେ –
ଶୃଙ୍ଗାରେ କୈଶିକୀ ବୀରେ ସାତ୍ଵତ୍ୟାରଭଟୀପୁନଃ ।
ରସେ ରୌଦ୍ରେ ଚ ବିଭତ୍ସେ ବୃତ୍ତିଃ ସର୍ବତ୍ର ଭାରତୀ ॥
ଉଦାହରଣ ସ୍ଵରୂପ, ସାମବେଦରୁ ଉତ୍ପନ୍ନ କୈଶିକୀବୃତ୍ତି ଶୃଙ୍ଗାରରସ କ୍ଷେତ୍ରରେ ବ୍ୟବହାର କରାଯାଏ । କାରଣ “ସ୍ତନକେଶବତୀତ୍ଵଂ ସ୍ତ୍ରୀତ୍ଵଂ” – ସ୍ତନ ଏବଂ ଦୀର୍ଘକେଶ ସ୍ତ୍ରୀତ୍ଵର ଲକ୍ଷଣ । କେଶ (କେ ମସ୍ତକେ ଶେତେ – ଏଠାରେ ମନରେ ପ୍ରତିଷ୍ଠିତ ସ୍ତ୍ରୀ ସମ୍ବନ୍ଧିନୀ ବିଚାର)ର ଆତିଶୟହେତୁ ଶୃଙ୍ଗାରଭାବପ୍ରଧାନ ବୃତ୍ତି (ପ୍ରଧାନ ଭାବଯୁକ୍ତ)ର ନାମ କୈଶିକୀବୃତ୍ତି । ମନୋରମ ନେପଥ୍ୟବିଶେଷରେ ନାୟୀକାର ଭୂଷଣବିଶେଷର ଶୋଭାତିଶୟଶାଳିନୀ ସ୍ତ୍ରୀଶଙ୍କୁଳାବର୍ଣ୍ଣନାଦ୍ଵାରା ମଦନହେତୁ ସମ୍ଭୋଗପ୍ରଭାବ ତଥା ତାହାର କାରଣ ଉପଚାରଆଦିର ସଂଗ୍ରହରୁଜାତ ଶୃଙ୍ଗାରପ୍ରଧାନ ଚତୁର-ମଧୁର-ଲଳିତାଙ୍ଗ-ଅଭିନୟ ବୃତ୍ତି କୈଶିକୀବୃତ୍ତି । ଏହାର ୪ ଟି ଅଙ୍ଗ ଅଛି – ନର୍ମ, ନର୍ମସ୍ଫୂର୍ଜ, ନର୍ମସ୍ଫୋଟ, ନର୍ମଗର୍ଭ । ସେହିପରି ଉତ୍ତେଜକ, ଆନନ୍ଦପ୍ରଦ ଏବଂ ବିସ୍ମୟଯୁକ୍ତ ବୀର ରସରେ ସାତ୍ଵତୀ ଏବଂ ଆରଭଟୀ ବୃତ୍ତି ବ୍ୟବହାର କରାଯାଏ । ଅନ୍ୟତ୍ର ଭାରତୀ ବ୍ୟବହାର କରାଯାଏ । ନାଟ୍ୟଶାସ୍ତ୍ର ଏବଂ ସାହିତ୍ୟଦର୍ପଣ ଆଦିରେ ଏହାର ବିଶଦ ବିବରଣୀ ଅଛି ।
ଶାସ୍ତ୍ରୀୟସଙ୍ଗୀତର ଗୁଣ ଦୋଷ ।
ଶାସ୍ତ୍ରୀୟସଙ୍ଗୀତର ୧୦ଟି ଗୁଣ ଅଛି –
ରକ୍ତଂ ପୂର୍ଣ୍ଣମଳଙ୍କୃତଂ ପ୍ରସନ୍ନଂ ବ୍ୟକ୍ତଂ ବିକୃଷ୍ଟଂ ଶ୍ଳକ୍ଷ୍ଣଂ ସମଂ ସୁକୁମାରଂ ମଧୁରମିତି ଗୁଣାଃ ।
ବେଣୁ ବୀଣା ଆଦି ପରଷ୍ପରର ଅନୁରକ୍ତହୋଇ ଏକୀଭାବପ୍ରାପ୍ତ ହେଉଥିବେ, ସ୍ଵରଶ୍ରୁତି ପୂର୍ଣ୍ଣଛନ୍ଦ ଆଦିର ସମ୍ପୁର୍ଣ୍ଣସଂଯୋଗ ହେଉଥିବ, ପ୍ରସନ୍ନ (ଅପଗତ ଗଦ୍ଗଦ, ନିର୍ବିଶଙ୍କ), ପଦ–ପଦାର୍ଥ–ପ୍ରକୃଚି–ବିକାର–ଆଗମ–ଲୋପ–ସ୍ଵରଲିଙ୍ଗ–ବୃତ୍ତି–ବାର୍ତ୍ତିକ–ବିଭକ୍ତି ଆଦିର ବ୍ୟକ୍ତ ଏବଂ ସମ୍ୟକ୍ ଉପପାଦନ, ଉଚ୍ଚକଣ୍ଠରେ ସ୍ପଷ୍ଟ ଉଚ୍ଚାରିତ ବ୍ୟକ୍ତ ପଦାକ୍ଷର, ଅଭୂତ–ଅବିଳମ୍ଵିତ–ଉଚ୍ଚ–ନୀଚ୍ଚ–ପ୍ଲୁତ ଆଲିଙ୍ଗିତହେତୁ ମନୋହର (ଶ୍ଳକ୍ଷ୍ଣ), ଆବାପ–ନିର୍ବାପ–ପ୍ରଦେଶ–ପ୍ରତ୍ୟନ୍ତରସ୍ଥାନର ସମାହାର ହେତୁ ସମ, ମୃଦୁ ପଦବର୍ଣ୍ଣ–ସ୍ଵର–କୁହରଣଯୁକ୍ତ ସୁକୁମାର, ଏବଂ ସ୍ଵଭାବଉପନୀତ ଲଳିତ ପଦାକ୍ଷର ଗୁଣ ସମୃଦ୍ଧ ମଧୁର । ଏହା ଶାସ୍ତ୍ରୀୟସଙ୍ଗୀତର ୧୦ଟି ଗୁଣ ।
ଶାସ୍ତ୍ରୀୟସଙ୍ଗୀତର ୧୪ଟି ଦୋଷ ଅଛି –
ଶଙ୍କିତଂ ଭୀତମୁଦ୍ଧୃଷ୍ଟମବ୍ୟକ୍ତମନୁନାସିକମ୍ ।
କାକସ୍ଵରଂ ଶିରସିଗତଂ ତଥା ସ୍ଥାନବିବର୍ଜିତମ୍ ॥
ବିସ୍ଵରଂ ବିରସଂ ଚୈବ ବିଶ୍ଳିଷ୍ଟଂ ବିଷମାହତମ୍ ।
ବ୍ୟାକୁଳଂ ତାଳହୀନଂ ଚ ଗୀତିଦୋଷାଶ୍ଚତୁର୍ଦଶ ॥
ଶଙ୍କିତ (ତ୍ରାସିତ), ଭୀତ (ଭୟଯୁକ୍ତ), ଅତ୍ୟନ୍ତପ୍ରଗଲ୍ଭ, ଅବ୍ୟକ୍ତ, ଅନୁନାସିକ, କାକପରି ସମ୍ମିଳିତ ସ୍ଵରଯୁକ୍ତ, ଅତ୍ୟନ୍ତଉଚ୍ଚ, ସ୍ଥାନବିବର୍ଜିତ, ବିସ୍ଵର, ବିରସ, ଅଯୋଗ (ଇଷ୍ଟ ଅବିସ୍ପଷ୍ଟ ଭିନ୍ନାର୍ଥ ଏକରୂପାନ୍ଵିତ ବଚନ), ସାମ୍ୟହୀନ, ବ୍ୟାକୁଳ, ତାଳହୀନ – ଏହି ୧୪ଟି ଶାସ୍ତ୍ରୀୟସଙ୍ଗୀତର ଦୋଷ ।
ଶାସ୍ତ୍ରୀୟସଙ୍ଗୀତ ଗାୟକର ଆଠଗୋଟି ଗାନଦୂଷଣ ଅଛି –
ତିର୍ଯ୍ୟକ୍ ଉତ୍–ଫୁଲ୍ଲଗଳତା ଚକ୍ଷୁରାନନମୀଳନମ୍ ।
ଊର୍ଦ୍ଧ୍ଵାଧୋଦୃକ୍ ଶିରଃ କମ୍ପଃ ପ୍ରହ୍ଣତା ଗାନଦୁଷଣମ୍ ॥
ତିର୍ଯ୍ୟକ୍ ଶୀର (ମୁଣ୍ଡ ବଙ୍କାକରି), ଉତ୍–ଫୁଲ୍ଲିତ ଗଳା (ଉଛୁଳି ଉଛୁଳି), ଅନ୍ୟର ଚକ୍ଷୁ ସହ ନିଜ ଚକ୍ଷୁରମିଳନ (ଅନ୍ୟର ଆଖିକୁ ଦେଖି), ଅନ୍ୟର ମୁଖ ସହ ମୁଖରମିଳନ (ଅନ୍ୟର ମୁହଁକୁ ଦେଖି), ଊର୍ଦ୍ଧ୍ଵଦୃଷ୍ଟି (ଉପରକୁ ଚାହିଁ), ଅଧୋଦୃଷ୍ଟି (ତଳକୁ ଚାହିଁ), ଶିରକମ୍ପନ (ମୁଣ୍ଡହଲାଇ), ଏବଂ କ୍ଷିପ୍ତତା (ବିସ୍ରସ୍ତ – ନିକ୍ଷିପ୍ତ – ଶବ୍ଦ ଫିଙ୍ଗିଦେଲାପରି) – ଏହି ଆଠଟିକୁ ଗାନଦୂଷଣ କୁହାଯାଏ । ଦୁର୍ଭାଗ୍ୟବଶତଃ ଆଧୁନିକ ଶାସ୍ତ୍ରୀୟସଙ୍ଗୀତ ଗାୟନରେ ଏହି ଗାନଦୂଷଣର ପ୍ରାଚୁର୍ଯ୍ୟ ଦେଖାଯାଉଛି । ବିଶେଷକରି ଆଧୁନିକ ପ୍ରସିଦ୍ଧ ଓଡିଶୀସଙ୍ଗୀତ ଗାୟକମାନେ ସମସ୍ତେ ଏହି ଭୂଲ କରନ୍ତି । ଆଜିକାଲି ଜଣେ ବି ଶୁଦ୍ଧ ଶାସ୍ତ୍ରୀୟସଙ୍ଗୀତ ଗାୟକ ନାହାଁନ୍ତି ।
ନାରଦଙ୍କମତରେ –
ଆଚାର୍ଯ୍ୟାଃ ସମମିଚ୍ଛନ୍ତି ପଦଚ୍ଛେଦନ୍ତୁ ପଣ୍ଡିତା ।
ସ୍ତ୍ରୀୟୋ ମଧୁରମିଚ୍ଛନ୍ତି ବିକୃଷ୍ଟମିତରେ ଜନାଃ ॥
ଆଚାର୍ଯ୍ୟମାନେ ଆବାପ–ନିର୍ବାପ–ପ୍ରଦେଶ–ପ୍ରତ୍ୟନ୍ତର ସ୍ଥାନର ସମାହାର ଇତ୍ୟାଦିପ୍ରତି ଯତ୍ନବାନ ହୁଅନ୍ତି । ପଣ୍ଡିତମାନେ ପଦଚ୍ଛେଦପ୍ରତି ଯତ୍ନବାନ ହୁଅନ୍ତି । ସ୍ତ୍ରୀମାନେ ମଧୁରତା ପ୍ରତି ଆଗ୍ରହୀ ହୁଅନ୍ତି । ସାଧାରଣ ଲୋକମାନେ ବିଶିଷ୍ଟ ପଦଯୋଜନା ପ୍ରତି ଆଗ୍ରହୀ ହୁଅନ୍ତି ।
ଓଡିଶୀସଙ୍ଗୀତର ଶାସ୍ତ୍ରୀୟତା ବିଷୟରେ ପ୍ରମାଣ ।
ଶାସ୍ତ୍ରୀୟ ସଙ୍ଗୀତର ଉପରୋକ୍ତ ସମସ୍ତ ଲକ୍ଷଣ ଓଡିଶୀସଙ୍ଗୀତରେ ଅଛି । ସ୍ଥାନୀୟ ଜଳବାୟୁ ମୃତ୍ତିକା ଭେଦରେ ଲୋକମାନଙ୍କର ଆକାର (ଅଙ୍ଗକ୍ରିୟା), ଇଙ୍ଗିତ (ଉପାଙ୍ଗକ୍ରିୟା), ଗତି, ଚେଷ୍ଟା (ପ୍ରାଣବାୟୁର ବିଭିନ୍ନ କ୍ରିୟା), ଭାଷାଭଙ୍ଗୀ, ନେତ୍ରବିକାର, ମୁଖବିକାର ଆଦି ପ୍ରଭାବିତ ହୁଏ । ସେହି ହେତୁ ଲୋକପ୍ରବୃତ୍ତି ଭିନ୍ନ ହୁଏ (ଯଶ୍ଚାପ୍ୟାସ୍ୟଗତୋ ଭାବୋ ନାନାଦୃଷ୍ଟିସମନ୍ଵିତଃ – ନାଟ୍ୟଶାସ୍ତ୍ର ୨/୨୦)। ଲୋକପ୍ରବୃତ୍ତି ଭେଦରେ ନାୟକ-ନାୟିକାଙ୍କର ପ୍ରବୃତ୍ତି ମଧ୍ୟ ଭିନ୍ନ ହୁଏ । ଉପେନ୍ଦ୍ରଭଞ୍ଜଙ୍କ ମତରେ –
ଦାକ୍ଷିଣାତ୍ୟ ରାମା ମୁଖ ଶୋଭାରେ ମଣ୍ଡିତ ।
ପୁଷ୍ପ ମଳୟଜ ବେଶେ ଆଲିଙ୍ଗନେ ରତ ॥
ପ୍ରେମ ଭଙ୍ଗୀ ଇଙ୍ଗିତ ଗଉଡଦେଶ ବାଳା ।
ଜଘନ ନିତମ୍ବ ଶୋଭା ଅଟେ ଆନର୍ଗଳା ॥
ସକଳଗୁଣ ସୁନ୍ଦର ଅଟେ ସେ ବାଳାର ।
ସଦା ବେଶ ଭୋଗରତା ଅଟଇମଧୁର ॥
କଣ୍ଠ ଓଷ୍ଠ ନେତ୍ରଗତି ଶୋଭିତ ତ୍ରିବଳି ।
କ୍ଷଣ କ୍ଷଣକେ ଶୃଙ୍ଗାର ଲୋଡନ୍ତି ମୈଥିଳୀ । ଆଦି ॥
ଭରତଙ୍କ (ନାଟ୍ୟଶାସ୍ତ୍ର – ୬ -୨୫/୨୬ ) ମତରେ –
ଆବନ୍ତୀ ଦାକ୍ଷିଣାତ୍ୟା ଚ ତଥା ଚୈବୋଡ୍ରମାଗଧୀ ।
ପାଞ୍ଚାଳମଧ୍ୟମା ଚେତି ବିଜ୍ଞେୟାସ୍ତୁ ପ୍ରବୃତ୍ତୟଃ ॥
ଆବନ୍ତି, ଦାକ୍ଷିଣାତ୍ୟା, ଉଡ୍ରମାଗଧୀ, ଏବଂ ପାଞ୍ଚାଳମଧ୍ୟମା ଭେଦରେ ପ୍ରବୃତ୍ତି ୪ ପ୍ରକାର । ଭରତଙ୍କ ମତରେ – ପ୍ରବୃତ୍ତିଶ୍ଚ ନିବେଦନେ – ସମାନଲକ୍ଷଣଦ୍ଵାରା ନିର୍ଦ୍ଦେଶିତ ବୃତ୍ତିସଂଶ୍ରିତ ପ୍ରୟୋଗକୁ ପ୍ରବୃତ୍ତି କୁହାଯାଏ । ୪ପ୍ରକାର ବୃତ୍ତିଭେଦରେ ୪ପ୍ରକାର ପ୍ରବୃତ୍ତି କୁହାଯାଇଛି । ଭାରତବର୍ଷର ସମଗ୍ର ପୂର୍ବ ଭୂଖଣ୍ଡରେ ଯେଉଁ ଶାସ୍ତ୍ରୀୟ ସଙ୍ଗୀତ ପଦ୍ଧତିର ପ୍ରଚଳନ ଥିଲା ତାହାକୁ ଉଡ଼୍ରମାଗଧୀ ପ୍ରବୃତ୍ତୀୟ ବା ପଦ୍ଧତୀୟ ସଙ୍ଗୀତ ବୋଲି ନିର୍ଦ୍ଧାରଣ କରାଯାଉଥିଲା । ନାରଦଙ୍କର ଉଦିଚ୍ୟ ବିଭାଗକୁ ଭରତ ଆବନ୍ତି ଏବଂ ପାଞ୍ଚାଳମଧ୍ୟମା ଭେଦରେ ୨ ଭାଗ କରିଅଛନ୍ତି । ଲକ୍ଷଣୀୟ ଯେ ଭରତ (ନାଟ୍ୟଶାସ୍ତ୍ର ୧୭-୪୮) ଭାଷାର ସପ୍ତବିଭାଗ କରି ଓଡିଆକୁ ପ୍ରାକୃତର ପ୍ରାଚ୍ୟବିଭାଗ ମଧ୍ୟରେ ସମନ୍ଵୟ କରିଛନ୍ତି । ପୁନଃ ଲକ୍ଷଣୀୟ ଯେ ଭରତ (ନାଟ୍ୟଶାସ୍ତ୍ର ୧୪-୫) ପାଠ୍ୟଭାଷାର ସଂସ୍କୃତ ଏବଂ ପ୍ରାକୃତ ଦୁଇବିଭାଗ କରିଛନ୍ତି । ବରରୂଚୀକୃତ ପ୍ରାକୃତପ୍ରକାଶଃ (୧୦ ରୁ ୧୨ ଅଧ୍ୟାୟ) ମତରେ ପୈଶାଚୀ (ବାଲ୍ହିକା) ଏବଂ ମାଗଧୀ, ଶୌରସେନୀର ବିଭାଷା । ଶୌରସେନୀ ସଂସ୍କୃତର ଉପଭାଷା । ତେଣୁ ପ୍ରବୃତ୍ତି ଏବଂ ଭାଷାମଧ୍ୟରେ ଭିନ୍ନତା ଅଛି । ଭରତଙ୍କ ନାଟ୍ୟଶାସ୍ତ୍ରରେ (୧୩ – ୩୭ ରୁ ୫୬) ଏହାର ବିଶଦ ବିବରଣୀ ଅଛି ।
ପ୍ରବୃତ୍ତି ଭେଦରେ ୭ ସ୍ଵର, ଗ୍ରାମ, ମୂର୍ଛନା ଏବଂ ତାନର କିଛି କିଛି ଅଂଶକୁ ପ୍ରଧାନ୍ୟ ଦେଇ ଓଡିଶୀ, ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକୀ ଶୈଳୀର ବିକାଶ କରାଯାଇଛି । ଏମାନେ ନିଜର ସ୍ଵତନ୍ତ୍ର ବୈଶିଷ୍ଟ୍ୟଯୁକ୍ତ ଭିନ୍ନ ସଙ୍ଗୀତ ।
ଶାସ୍ତ୍ରୀୟ ସଙ୍ଗୀତର ପ୍ରାଚ୍ୟ (ଓଡିଶୀ), ଉଦିଚ୍ୟ (ହିନ୍ଦୁସ୍ତାନୀ) ଏବଂ ଦାକ୍ଷିଣାତ୍ୟ (କର୍ଣ୍ଣାଟକୀ) – ଏହି ତିନି ଶୈଳୀ ପ୍ରସିଦ୍ଧ । ଏହି ଶୈଳୀ ମାନଙ୍କର ନିଜର ସ୍ୱତନ୍ତ୍ର ବ୍ୟାକରଣ, ଗାୟନଶୈଳୀ, ରାଗ, ତାଳ ଆଦି ଅଛି । ଏଥିମଧ୍ୟରୁ ନାରଦ ପ୍ରାଚ୍ୟ (ଓଡିଶୀ) ଶୈଳୀକୁ ପ୍ରାଧାନ୍ୟ ଦେଇ ଅଛନ୍ତି । ଭରତ ନାଟ୍ୟଶାସ୍ତ୍ରରେ ଓଡିଶୀକୁ ଓଡ୍ରମାଗଧୀ ନାମରେ ବର୍ଣ୍ଣନା କରିଅଛନ୍ତି । ପ୍ରାଚୀନପଦ୍ଧତି ଅନୁଯାୟୀ, ପ୍ରଧାନକୁ ପ୍ରଥମେ ଲେଖି ଅପ୍ରଧାନକୁ ପରେ ଲେଖାଯାଏ । ବେଦରେ ଇନ୍ଦ୍ରାଗ୍ନିମ୍ ମିଳେ, କିନ୍ତୁ ଅଗ୍ନୀନ୍ଦ୍ରଃ ନାହିଁ । ତେଣୁ ଓଡ୍ରମାଗଧୀରେ ଓଡ୍ରର ପ୍ରାଧାନ୍ୟ ଅନସ୍ଵୀକାର୍ଯ୍ୟ । ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟତା ବିଷୟରେ ସନ୍ଦେହର ଅବକାଶ ନାହିଁ ।
ନାରଦଙ୍କମତରେ –
“କେଚିତ୍ ପ୍ରାଚ୍ୟାମୁଦିଚ୍ୟାଂ ଚ ଦକ୍ଷିଣସ୍ୟାଂ ତଥାପରେ ।
ଜିତେନ୍ଦ୍ରିୟାଃ ସଦାଚାରାସ୍ତେନଟାଃ ପୁନରୁତ୍ତମାଃ ।
ପ୍ରାଚ୍ୟାଂ ପ୍ରାୟେଣ ଗୁଣିନୋ ନାନାଶାସ୍ତ୍ରବିଚକ୍ଷଣାଃ ॥”
ମତଙ୍ଗଙ୍କମତରେ “ଯୋଽସୌ ଧ୍ୱନିବିଶେଷସ୍ତୁ ସ୍ୱରବର୍ଣ୍ଣ – ବିଭୂଷିତଃ । ରଞ୍ଜକୋ ଜନ ଚିତ୍ତାନାଂ ସ ରାଗଃ କଥିତୋ ବୁଧୈଃ ।” ଜନ ସମୂହର ଚିତ୍ତରଞ୍ଜନକାରୀ ଷଡ଼ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ, ନିଷାଦ ରୂପ ରାଗସଂଗୀତର ଭେଦରେ ବିଭକ୍ତ ସପ୍ତସ୍ୱର ଏବଂ ବର୍ଣ୍ଣ ବିଭୂଷିତ (ସ୍ଥାୟୀ, ଆରୋହୀ, ଅବରୋହୀ ଏବଂ ସଞ୍ଚାରୀ ଆଦି ଭେଦଯୁକ୍ତ) ଧ୍ୱନି ବିଶେଷକୁ ରାଗ କୁହାଯାଏ । ଶାସ୍ତ୍ରୀୟମତରେ ୬ ରାଗ ଏବଂ ୩୬ ରାଗିଣୀ ପ୍ରସିଦ୍ଧ । ଆଜିକାଲି ଏହାର ଅନେକ ବିକାର ସୃଷ୍ଟି କରାଯାଇଛି ।
ସମସ୍ତ ରାଗ ରାଗିଣୀର ଶାସ୍ତ୍ରୀୟସ୍ଵରୂପ ନିର୍ଦ୍ଦିଷ୍ଟ ଅଛି । ଉଦାହରଣ ସ୍ଵରୂପ, ଗୁଣ୍ଡକିରୀ ରାଗର ସ୍ଵରୂପଲକ୍ଷଣ ହେଉଛି –
ରତୋତ୍ସୁକା କାନ୍ତପଥପ୍ରତୀକ୍ଷା ସମ୍ପାଦୟନ୍ତୀ ମୃଦୁପୁଷ୍ପତଳ୍ପମ୍ ।
ଇତସ୍ତତଃ ପ୍ରେରିତଦୃଷ୍ଟିରାର୍ତ୍ତା ଶ୍ୟାମାତନ୍ଵୀ ଗୁଣ୍ଡକିରୀ ପ୍ରଦିଷ୍ଟଃ ॥
ଏକ ଶ୍ୟାମାତରୁଣୀ ରତିପାଇଁ ଉତ୍ସୁକାହୋଇ ପୁଷ୍ପଶଯ୍ୟାସଜାଇ ସ୍ଵାମୀରପ୍ରତିକ୍ଷାରେ ଅଛି । ଶ୍ୟାମା–ଗୌରୀ ଭେଦରେ ସ୍ତ୍ରୀମାନେ ଦୁଇପ୍ରକାର । ଗୌରୀ ନିଜର ସୁଖପ୍ରାପ୍ତିଦିଗରେ ଯତ୍ନଶୀଳା । ଶ୍ୟାମା ପ୍ରିୟକୁ ସୁଖଦେବାକୁ ଯତ୍ନଶୀଳା । ଉପେନ୍ଦ୍ରଭଞ୍ଜଙ୍କ ମତରେ ଷୋହଳବରଷ ସରିକି ବାଳା । ସେ ମୁଗ୍ଧା । କିନ୍ତୁ ତରୁଣୀ ବିବିଧ ତରଣେ ଶୀଳା । ସେ ରତିକ୍ରିୟା ସମ୍ବନ୍ଧରେ ଅପଗତଲଜ୍ଜା (ଲଜ୍ଜାହୀନା)। ସେପରି ଏକ ଅପଗତଲଜ୍ଜା ତରୁଣୀ ରତିପାଇଁ ଉତ୍ସୁକାହୋଇ ପୁଷ୍ପଶଯ୍ୟାସଜାଇ ପ୍ରେମିକର ପଥଚାହିଁ ଇତସ୍ତତ ଦୃଷ୍ଟିପାତକରି ଶୃଙ୍ଗାରପାଇଁ ଆର୍ତ୍ତଭାବେ ଛଟପଟହେଉଛି । ସେହିପରି ତରୁଣୀର ମନୋଭାବ ଯେଉଁରାଗଦ୍ଵାରା ବ୍ୟକ୍ତକରାଯାଏ, ସେହି ରାଗରନାମ ଗୁଣ୍ଡକିରୀ । ଦ୍ରୁତ, ବିଳମ୍ଵିତ, ଆନ୍ଦୋଳିତ ଇତ୍ୟାଦି ଭେଦରେ ଏହାର ଅନେକ ବିକାର ପ୍ରସ୍ତୁତ କରାଯାଇ ପାରିବ । ଗୀତଗୋବିନ୍ଦର ପଶ୍ୟତି ଦିଶି ଦିଶି ଗୀତରେ କୃଷ୍ଣଙ୍କପାଇଁ ଅପେକ୍ଷା କରିଥିବା ରାଧାଙ୍କ ଉନ୍ମାଦନାର ଅପୂର୍ବଚିତ୍ରଣ କରାଯାଇଛି ।
ଗୀତଗୋବିନ୍ଦ ଓଡିଶୀସଙ୍ଗୀତର ଶ୍ରେଷ୍ଠତମ କୃତି । ଓଡ଼ିଶୀସଂଗୀତ ପଦ୍ଧତିରେ ଗୀତଗୋବିନ୍ଦକୁ ‘ଅଷ୍ଟପଦୀ’ କୁହାଯାଇଥାଏ । ଗୀତଗୋବିନ୍ଦର ୨୪ ଟି ଗୀତରେ ନିମ୍ନଲିଖିତ ରାଗ ଓ ତାଳଗୁଡ଼ିକ ବ୍ୟବହାର କରାଯାଇଛି – ମାଳବ, ବସନ୍ତ, ଗୁର୍ଜରୀ, ରାମକିରୀ, ମାଳବଗୌଡ଼, କର୍ଣ୍ଣାଟ, ଦେଶାଖ୍ୟ, ଦେଶବରାଡ଼ୀ, ଗୁଣ୍ଡକିରୀ, ଭୈରବୀ, ବରାଡ଼ୀ ଓ ବିଭାସ । କିଛିସ୍ଥାନରେ ଗୁର୍ଜରୀପାଇଁ ମଙ୍ଗଳଗୁର୍ଜରୀରାଗ ବ୍ୟବହାର କରାଯାଏ । କର୍ଣ୍ଣାଟରାଗ ସ୍ଥାନରେ କେଦାର, ବିଭାସସ୍ଥାନରେ ନାଦ ରାମକ୍ରିୟା ଆଦି ରାଗ ବ୍ୟବହାର କରାଯାଏ । ଗୀତଗୋବିନ୍ଦ ଗାୟନରେ ବିଶେଷକରି ଏକତାଳୀ, ରୂପକ, ଯତି, ଅଷ୍ଟତାଳୀ ଓ ନିଃସାର ନାମକ ୫ ଗୋଟି ତାଳ ଅନୁସୃତ ହୋଇଥାଏ । ଏଥିମଧ୍ୟରୁ ଅଷ୍ଟତାଳୀ ଏବଂ ନିଃସାର ଆଧୁନିକ ଓଡ଼ିଶୀସଂଗୀତ କ୍ଷେତ୍ରରେ ଅପ୍ରଚଳିତ ହୋଇଯାଇଛି । ଆଜିକାଲି ଝମ୍ପା, ଖେମଟା, ତ୍ରିପଟା ଇତ୍ୟାଦି ତାଳରେ ମଧ୍ୟ ଏହାର ପ୍ରବନ୍ଧମାନ ଗାୟନ କରାଯାଉଅଛି ।
ଓଡିଶୀସଙ୍ଗୀତରେ ଧ୍ରୁବପଦ, ଚିତ୍ରପଦ, ଚିତ୍ରକଳା ତଥା ପାଞ୍ଚାଳ ଏହି ଚାରିଗୋଟି ଶ୍ରେଣୀର ସଙ୍ଗୀତର ବିଶେଷ ମହତ୍ୱ ଅଛି । ଗୀତର ଆରମ୍ଭରେ ଥିବା ଏବଂ ପ୍ରତ୍ୟେକ ପଦର ଶେଷରେ ପୁନରାବୃତ୍ତି କରା ଯାଉଥିବା ଗାନକୁ ଧ୍ରୁବପଦ କୁହନ୍ତି । ଯଥା କିଶୋରଚନ୍ଦ୍ରାନନ ଚମ୍ପୁରେ – ଖରାପ ତୁ ହେଲୁ ରେ ।
ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁ ରେ ॥ ପଦ ॥
ଗୀତରେ ବ୍ୟବହୃତ ଶବ୍ଦର ବ୍ୟୁତ୍କ୍ରମ ବିନ୍ୟାସକରି ଅନୁପ୍ରାସଶୈଳୀରେ ଶବ୍ଦସଂଯୋଜନା କରିବାକୁ ଚିତ୍ରପଦ କୁହନ୍ତି । ଛାନ୍ଦ ଏବଂ ଚଉତିଶା ଓଡିଶୀସଙ୍ଗୀତର ଏକ ବିଶିଷ୍ଟ ଶୈଳୀ । ଅଳଙ୍କାରବିଭାଗ ଛାନ୍ଦ । ଏହାର ସଂଯୋଜନା ଭାବ (ବିଷୟ), କାଳ (ସମୟ) ଏବଂ ସ୍ୱରର (ଶୂନ) ଆଧାରରେ କରାଯାଉଥିଲା । ଓଡିଆଭାଷାର ପ୍ରତି ଅକ୍ଷରରୁ ଆରମ୍ଭକରି ଚଉତିରିଶଟି ପଦ୍ୟବିଶିଷ୍ଟ ଖଣ୍ଡକାବ୍ୟକୁ ଚଉତିଶା କୁହାଯାଏ। ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ପଦୀ। ବିଭିନ୍ନ ଦ୍ରୁତତାଳରେ ଗାୟନ କରାଯାଉଥିବା ଶବ୍ଦସମାହାର ପଦୀ। ପାଲା ମାଧ୍ୟମରେ ସମାଜରେ ଏହାର ପ୍ରସାର ହେଉଥିଲା । ଆଜିକାଲି ପାଲା ଲୁପ୍ତପ୍ରାୟ ।
ଗୀତରେ ବ୍ୟବହୃତ ଚିତ୍ରକଳାକୃତିକୁ ଚିତ୍ରକଳା କୁହନ୍ତି । ଗୋମୁତ୍ରିକା ଏକ ପ୍ରଖ୍ୟାତ ଚିତ୍ରକଳା । ଗୋରୁ ମୁତ୍ରତ୍ୟାଗ କଲାବେଳେ ତାହା ଗୋଟିଏ ବିନ୍ଦୁରୁ ବାହାରି ଝାଡୁପରି ତଳକୁ ଖେଳାଇଯାଏ । ସେହିପରି କ୍ରମରେ ପଦର ଅକ୍ଷରବିନ୍ୟାସକୁ ଗୋମୁତ୍ରିକା କୁହନ୍ତି । ହଂସବନ୍ଧ, ଚକ୍ରବନ୍ଧ ଆଦି ଅନ୍ୟ ଚିତ୍ରକଳା ମଧ୍ୟ ଅଛି। ଉଦାହରଣ ସ୍ୱରୂପ ଲାବଣ୍ୟବତୀ ସପ୍ତମଛାନ୍ଦରେ –
ଭେଟେ କବି ଗୀତକରି ତ୍ରିବିଧରେ ।
ପ୍ରାନ୍ତ ଯମକ ଶୃଙ୍ଖଳ ଗୋସୂତ୍ରରେ ॥ ୭ ॥
ଦ ର ଚ ୟ ହ ର ଧୀ ର ପ୍ର ଶଂ ସା ର ।
ସା ର ସା ୟ କ ର କ ର ଏ ସଂ ସା ର ॥ ୮ ॥
ସା ର ସା ର ଜି ତ ଗ କି ହେ କୁ ମା ର ।
ମା ର ପ ର ଶ ତ ଅ ତି ସୁ କୁ ମା ର ॥ ୯ ॥
ସଙ୍ଗୀତାର୍ଣ୍ଣବଚନ୍ଦ୍ରିକା, ଗୀତପ୍ରକାଶ, ସଙ୍ଗୀତକଳ୍ପଲତା, ନାଟ୍ୟମନୋରମା, କବିକଳ୍ପଦ୍ରୁମ, ସଙ୍ଗୀତସରଣୀ, ସଙ୍ଗୀତନାରାୟଣ ଆଦିରେ ଏହିସବୁର ବିଶେଷ ବିବରଣୀ ମିଳେ ।
ଗୀତଗୋବିନ୍ଦର ଲୋକପ୍ରିୟତାହେତୁ ବିଭିନ୍ନ ବ୍ୟକ୍ତିଙ୍କଦ୍ଵାରା ରାଗ ଓ ତାଳ ସାହାଯ୍ୟରେ ଏହାର ଗାୟନ କରାଯାଉଥିଲେ ମଧ୍ୟ ଏବଂ ଭାରତର ବିଭିନ୍ନପ୍ରାନ୍ତରେ ଭିନ୍ନଭିନ୍ନ ଶୈଳୀସହ ଭିନ୍ନଭିନ୍ନ ରାଗ ଓ ତାଳରେ ଏହାର ଗାୟନ କରାଯାଉଥିଲେ ମଧ୍ୟ ଅଧିକତର ଭାବେ କାବ୍ୟରେ ନିର୍ଦ୍ଦେଶିତ ଓଡ଼ିଶୀ ରାଗମାନଙ୍କର ପ୍ରାଧାନ୍ୟ ଥାଏ । ଗୀତଗୋବିନ୍ଦ ସଂପୂର୍ଣ୍ଣ ଭାବରେ ଭାବାଙ୍ଗପ୍ରବନ୍ଧ ଶ୍ରେଣୀର ହେଲେମଧ୍ୟ ଏବଂ ଭାବାଙ୍ଗଶୈଳୀରେ ଗାୟନ କରାଯାଉଥିଲେ ମଧ୍ୟ, ଏଥିରେ ରାଗରଶୁଦ୍ଧତା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ । ରାଗାଙ୍ଗକ୍ରିୟାରେ ଅନୁସୃତ ସମସ୍ତସୋପାନ ଏହି ଗାୟନକ୍ରିୟାରେ ବ୍ୟବହାର କରାଯାଇନଥାଏ । ଦୁର୍ଭାଗ୍ୟବଶତଃ ପଞ୍ଚଦଶଶତାବ୍ଦୀ ପୂର୍ବରୁ ବିଭିନ୍ନରାଗର ଯେଉଁ ଶାସ୍ତ୍ରୀୟସ୍ୱରୂପ ଥିଲା ଅଧୁନା ତାହା ସଂପୂର୍ଣ୍ଣଭିନ୍ନ ହୋଇଯାଇଛି । କେତେକସ୍ଥଳରେ ନାମ ମାତ୍ର ସାମ୍ୟତା ଥିଲେମଧ୍ୟ ଏହାର ଚଳନରେ ତାରତମ୍ୟତା ଦେଖାଯାଇଥାଏ । ଆଧୁନିକ ଗାୟକମାନେ ଏହି ବିଷୟକୁ ଉପେକ୍ଷିତ କରିଅଛନ୍ତି କିମ୍ବା ଏଥିରେ ଇଚ୍ଛାକୃତ ବିକାରସୃଷ୍ଟି କରନ୍ତି । ସିଂହାରୀମାନଙ୍କର ଗୀତଗୋବିନ୍ଦ ଗାନ ଏବଂ ଅନ୍ୟମାନଙ୍କର ଗୀତଗୋବିନ୍ଦ ଗାନ ମଧ୍ୟରେ ଏହି ବିବିଧତା ବିଶେଷରୂପରେ ପରିଦୃଷ୍ଟ ହୁଏ ।
ନୃତ୍ୟ ଏବଂ ଗୀତ ସହ ମର୍ଦ୍ଦଳ ବାଦ୍ୟ ହିସାବରେ ଓଡିଶୀର ଏକ ବୈଶିଷ୍ଟ୍ୟ । ବିଭିନ୍ନ ମନ୍ଦିରରେ ନର୍ତ୍ତକୀମାନଙ୍କୁ ମର୍ଦ୍ଦଳ ବଜାଇ ନୃତ୍ୟ କରିବାର ଦେଖାଯାଏ ।
ନାଟ୍ୟ, ନୃତ୍ୟ, ସଙ୍ଗୀତର ପରମ ପୃଷ୍ଠପୋଷକ ଭାବେ ଖ୍ରୀ.ପୂ.୨୦୦ ଶତାବ୍ଦୀର ଆଗଙ୍ଗାଗୋଦାବରୀ ବିସ୍ତୃତ ମହାନ୍ ସାମ୍ରାଜ୍ୟର ଅଧିଶ୍ୱର କଳିଙ୍ଗାଧିପତି ଉକ୍ରଳୀୟ ସମ୍ରାଟ ମହାମେଘବାହାନ ଐରଖାରବେଳଙ୍କ ସଙ୍ଗୀତ କଳାପ୍ରୀତିର ପ୍ରମାଣ ଖଣ୍ଡଗିରି ହାତୀଗୁମ୍ଫା ଅନୁଶାସନରୁ ମିଳିଥାଏ । ଗୀତଗୋବିନ୍ଦର ଗାୟନ ସହିତ ଅନ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟମାନଙ୍କରେ ମଧ୍ୟ ଗୀତଗୋବିନ୍ଦର ଅଭିନୟ ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ଓଡ଼ିଶୀ ନୃତ୍ୟରେ ଏହା ଏକ ଅପରିହାର୍ଯ୍ୟ ଅଙ୍ଗ ରୂପେ ବିବେଚିତ ହେଉଅଛି । ଶ୍ରୀମନ୍ଦିରରେ ପ୍ରତିଦିନ ଏହାର ଗାୟନର ପରମ୍ପରା ରହିଛି । ତେଣୁ ଏହାର ବିବିଧତା ଯଥାର୍ଥରେ ଶ୍ରେଷ୍ଠ ପଦବାଚ୍ୟ ଅଟେ । କିନ୍ତୁ ଆଧୁନିକ ଗାୟକମାନେ, ବିଶେଷରୂପରେ ଗାନସଙ୍ଗୀତର ଅଧ୍ୟାପକମାନେ, ସେମାନଙ୍କର ଶିକ୍ଷା ହିନ୍ଦୁସ୍ତାନୀ ଗୀତରୁ ଆରମ୍ଭ ତକୁଥିବାରୁ, ଓଡିଶୀ ରାଗର ମୂଳଲକ୍ଷଣକୁ ଭୁଲି ସେଥିରେ ଅନ୍ୟପ୍ରଭାବ ମିଶାଇ ଯେଉଁ cultural osmosis କରୁଛନ୍ତି ତାହା ଓଡିଶୀସଙ୍ଗୀତର ଉପକାର କରୁନାହିଁ ବରଂ ଅପକାର କରୁଛି । ଏହାକୁ ଶାସ୍ତ୍ରୀୟସଙ୍ଗୀତ ବୋଲି କହିବା ତ ଦୂରର କଥା, ଓଡ଼ିଶାର ପ୍ରାଚୀନ ପରମ୍ପରା ପୁଷ୍ଟ ମୌଳିକ ନିଜସ୍ୱ ସଙ୍ଗୀତ ବୋଲି କୁହାଯାଇପାରିବ ନାହିଁ । ଓଡ଼ିଶୀ ସଙ୍ଗୀତର ଏହି ବିଭ୍ରାନ୍ତିକର ପରିସ୍ଥିତିର ଫାଇଦା ଉଠାଇ ଓଡ଼ିଶାବାହାରେ ଅଶୁଦ୍ଧ ଓଡ଼ିଶୀ ସଙ୍ଗୀତର ପ୍ରଚାର ହେଉଛି । ଓଡ଼ିଶୀ ସଙ୍ଗୀତକୁ ଆଧୁନିକ ଓଡ଼ିଶୀ ଗାୟକମାନଙ୍କଠାରୁ ରକ୍ଷାକରିବା ଆବଶ୍ୟକ ।
କୁଆ ପଞ୍ଜରୀରେ ପଡିଲେ କି ଧରେ ଶୁଆପରି ହରିନାମ ।
ଭୁଆଟା ଗୁହାରେ ପଶିଲେ କି କରେ ଛୁଆ ସିଂହ ପରାକ୍ରମ ।
ସରସେ କୁହାଯାଉଥାଏ ସିନା ।
ତୁହାଇ ତୁହାଇ ପୁଟଦେଲେ ହେଲେ ଲୁହା କି ହୋଇବ ସୁନା ॥
ବାସୁଦେବ ମିଶ୍ର ।
C-4/52, କେନ୍ଦ୍ରିୟ ବିହାର ।
ଭି ଆଇ ପି ରୋଡ ।
କଲିକତା – ୭୦୦୦୫୨ ।